ତିଆନମେନ ଚୌକର ସ୍ମୃତି ଓ କମ୍ୟୁନିଜମର ଅନ୍ତର୍ବିରୋଧ

 Chhatra Sandesh:The-memory-of-Tiananmen-Square-and-the-infiltration-of-communismଡ. ସମନ୍ୱୟ ନନ୍ଦ

ତିଆନମେନ ଚୌକରେ ଘଟିଥିବା ନରସଂହାରକୁ ଆଜି ୩୧ ବର୍ଷ ପୂରଣ ହେଉଛି । ୧୯୮୯ ମସିହାର କଥା । ଚୀନରେ ଗଣତନ୍ତ୍ର ଦାବି କରି କିଛି ଦିନ ଧରି ହଜାର ହଜାର ସଂଖ୍ୟାରେ ଲୋକ ମାନେ ତିଆନମେନ ଚୌକରେ ଶାନ୍ତିପୂର୍ଣ ଭାବେ ଆନ୍ଦୋଳନ ଓ ଧାରଣା ଦେଇ ଆସୁଥିଲେ । ଆନ୍ଦୋଳନକାରୀ ମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ଥିଲେ । ଜୁନ ଚାରି ତାରିଖ ଦିନ ସକାଳ ଚାରିଟା ବେଳେ ବଡ ସାମରିକ ଟ୍ୟାଙ୍କ ସମେତ ଅସ୍ତ୍ର ଶସ୍ତ୍ର ଧରି ସୈନିକ ମାନେ ସେଠାରେ ପହଂଚି ଗଲେ । ବିନା ଅସ୍ତ୍ର ଶସ୍ତ୍ରରେ ଶାନ୍ତିପୂର୍ଣ ଭାବେ ଆନ୍ଦୋଳନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ଉପରେ ସୈନିକ ମାନେ ଗୁଳି ବର୍ଷଣ କରିବା ସହ ଟ୍ୟାଙ୍କ ଜରିଆରେ ମଧ୍ୟ ସେମାନଙ୍କୁ ଆକ୍ରମଣ କରା ଯାଇଥିଲେ । ନିମିଷକ ମଧ୍ୟରେ ସେଠାରେ ରକ୍ତର ନଦୀ ବହିବାରେ ଲାଗିଲା । ନୀରିହ - ନିରପରାଧ ଛାତ୍ର ମାନଙ୍କର ଶବ ସେଠାରେ ପଡିବାରେ ଲାଗିଲା । ଚୀନ ଏହି ନରସଂହାରକୁ ଲୁଚାଇବାକୁ ଚେଷ୍ଟା କରୁଥିଲେ । ଚୀନ କମ୍ୟୁନିଷ୍ଟ ଦେଶ ହୋଇଥିବା କାରଣରୁ ଗଣମାଧ୍ୟମ ଉପରେ ସେନସରସିପ ରହିଥାଏ । ତେଣୁ ସେଠାକାର ସମ୍ପୂର୍ଣ ସୂଚନା ଅବଶିଷ୍ଟ ବିଶ୍ୱକୁ ଆସି ପାରୁ ନ ଥିଲା । ଚୀନ ସରକାର ୩ ଶହ ଲୋକ ଏଥିରେ ମୃତ୍ୟୁବରଣ କରିବା କଥାକୁ ସ୍ୱୀକାର କଲେ । ହେଲେ ଆନ୍ତର୍ଜାତିକ ରିପୋର୍ଟ ଅନୁସାରେ ସେଠାରେ ଅନ୍ୟୁନ ୧୦ ହଜାର ଲୋକଙ୍କୁ ହତ୍ୟା କରା ଯାଇଥିଲା ବୋଲି ଦର୍ଶା ଯାଇଥିଲା । ପରବର୍ତୀ ସମୟରେ ଯେତେବେଳେ ଏହି ଘଟଣାର କିଛି ପ୍ରତ୍ୟକ୍ଷଦର୍ଶୀ ବାହାର ଦେଶ ମାନଙ୍କରେ ଶରଣ ନେଲେ ସେତେବେଳେ ଏହି ଘଟଣାର ଲୋମଟାଙ୍କୁରା କାହାଣୀ ସାମନାକୁ ଆସି ପାରିଥିଲା ।

ଏହି ଛାତ୍ର ମାନଙ୍କର କଣ ଅପରାଧ ଥିଲା ? ସେମାନଙ୍କର କେବଳ ଏତିକି ଅପରାଧ ଥିଲା ଯେ ସେମାନେ ଶାନ୍ତିପୂର୍ଣ ଉପାୟରେ ଚୀନର ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଉଥିଲେ । କିନ୍ତୁ ଚୀନର ବାମପନ୍ଥୀ ସରକାର ଏହାକୁ ସହ୍ୟ କରି ପାରି ନ ଥିଲା ଓ ନୀରିହ ଆନ୍ଦୋଳନକୁ ଅତ୍ୟନ୍ତ ନୃଶଂସ ଓ ବର୍ବରତାର ସହ ଦମନ କରିଥିଲା ।

କମ୍ୟୁନିଷ୍ଟ ମାନେ ଶୋଷଣ ମୁକ୍ତ ସମାଜର କଥା କହିଥାନ୍ତି । ଶୋଷଣକୁ କେହି ସମର୍ଥନ କରି ପାରିବେ ନାହିଁ । ଶୋଷଣ ବିରୁଦ୍ଧରେ ପରିବର୍ତନ ଅପରିହାର୍ଯ୍ୟ । କିନ୍ତୁ ପରିବର୍ତନ କିପରି ଆସିବ ତାହା ହିଁ ହେଉଛି ମୁଖ୍ୟ ପ୍ରଶ୍ନ । ଏହାର ରାସ୍ତା କଣ । ଭାରତରେ ସାଧୁ ସନ୍ଥ ମାନେ ମଧ୍ୟ ପରିବର୍ତନର କଥା କହିଛନ୍ତି । ମହାତ୍ମା ବୁଦ୍ଧଙ୍କ ଠାରୁ ମହାତ୍ମା ଗାନ୍ଧୀ ଯାଏ ସମସ୍ତେ ପରିବର୍ତନର କଥା କହିଛନ୍ତି । ଭାରତରେ ପରିବର୍ତନ ପାଇଁ ବ୍ୟକ୍ତିକୁ ବଦଳାଇବାର ପ୍ରୟାସ କରିବା ଉପରେ ଗୁରୁତ୍ୱ ଦିଆ ଯାଇଛି । ଲୋକ ମାନଙ୍କ ମଧ୍ୟରେ ଆଲୋଚନା, କଥାବାର୍ତା କରି ତାଙ୍କୁ ବୁଝାଇ ବ୍ୟକ୍ତିର ମନ, ଚରିତ୍ର . ତାର ସଂସ୍କାର ଓ ତାର ଚିନ୍ତନରେ ପରିବର୍ତନ ଆଣିବାର ପ୍ରୟାସ କରିବା ହେଉଛି ପରିବର୍ତନ ପାଇଁ ଭାରତୀୟ ପଦ୍ଧତି ଅଟେ । ଭାରତର ମନୀଷୀ ମାନେ ପରିବର୍ତନ ପାଇଁ ଉପରୋକ୍ତ ରାସ୍ତା ଦେଖାଇଛନ୍ତି ।

କିନ୍ତୁ କମ୍ୟୁନିଜମରେ ପରିବର୍ତନ ଆଣିବା ପାଇଁ ଯେଉଁ ପଦ୍ଧତି ଓ ପ୍ରକ୍ରିୟା ଆପଣା ଯାଇ ଥାଏ ଓ ଅତ୍ୟନ୍ତ ଅମାନବୀୟ ଓ କ୍ରୁର । କମ୍ୟୁନିଜମରେ ପରିବର୍ତନ ପାଇଁ ବିରୋଧୀ ମାନଙ୍କୁ ହତ୍ୟା କରିବାକୁ ଠିକ ବୋଲି ମନେ କରା ଯାଏ । କମ୍ୟୁନିଜମର ଥ୍ୟୋରି ଓ ତାକୁ କାର୍ଯ୍ୟକାରୀ କରିବା ପାଇଁ ଯେଉଁ ରାସ୍ତା ରହିଛି ତାକୁ ନେଇ କୌଣସି ପ୍ରକାର ବିରୋଧ ବା ଅସହମତିକୁ ସହ୍ୟ କରା ଯାଏ ନାହିଁ । ଏହି ଉଭୟ ସ୍ଥିତିରେ ଏହାକୁ ବିରୋଧ କରୁଥିବା ବା ଏଥିରେ ଅସହମତି ବ୍ୟକ୍ତ କରୁଥିବା ଲୋକ ମାନଙ୍କୁ ହତ୍ୟା କରିବା ଜରୁରୀ ବୋଲି କମ୍ୟୁନିଷ୍ଟ ମାନେ ମନେ କରନ୍ତି ।

କମ୍ୟୁନିଜମରେ କଥାବାର୍ତା କିମ୍ବା ଆଲୋଚନାର କୌଣସି ସ୍ଥାନ ନାହିଁ । କମ୍ୟୁନିଜମର ଥ୍ୟୋରୀ ଅନୁସାରେ ଯିଏ ବର୍ଗ ଶତ୍ରୁ ତାଙ୍କୁ ହତ୍ୟା କରିବା ଅତ୍ୟନ୍ତ ଆବଶ୍ୟକ । ଏହା ବିନା ବିପ୍ଲବ ସମ୍ଭବ ନୁହେଁ । ଏହି ଥ୍ୟୋରୀ ଅନୁସାରେ ଶୋଷଣମୁକ୍ତ ସମାଜର ସ୍ଥାପନା କରିବା ପାଇଁ ହେଲେ ପ୍ରଥମେ ବର୍ଗ ଶତ୍ରୁ ଚିହ୍ନଟ କରି ସେମାନଙ୍କୁ ନିପାତ କରିବା ଜରୁରୀ । ଏହା ତ ବର୍ଗ ଶତ୍ରୁର କଥା । ହେଲେ ଯେଉଁ ଲୋକ ମାନଙ୍କ ପାଇଁ ଶୋଷଣ ମୁକ୍ତ ସମାଜ ସ୍ଥାପନା କରିବା ପାଇଁ କମ୍ୟୁନିଷ୍ଟ ମାନେ ଦାବି କରିଥାନ୍ତି ଯେଦି ସେମାନଙ୍କ ମଧ୍ୟରୁ କେହି କମ୍ୟୁନିଷ୍ଟ ମାନଙ୍କ କଥାରେ ଅସହମତି ବ୍ୟକ୍ତ କରନ୍ତି ତେବେ ତାଙ୍କ ପ୍ରତି କମ୍ୟୁନିଷ୍ଟ ମାନଙ୍କର ବ୍ୟବହାର କିପରି ହେବ? ଏହାର ଉତର କମ୍ୟୁନିଷ୍ଟ ମାନେ ତିଆନମେନ ଚୌକ ଠାରେ ନିଜ ଲୋକଙ୍କୁ ହତ୍ୟା କରି ଦେଇ ଦେଇଛନ୍ତି ।

ମୋଟ ଉପରେ କହିବାକୁ ଗଲେ ବର୍ଗ ଶତ୍ରୁଙ୍କ ଠାରୁ ଆରମ୍ଭ କରି ଯଦି କେହି ନିଜର ଲୋକ ମଧ୍ୟ ତାଙ୍କ ସହ ଅସହମତି ରଖେ ତେବେ ତାକୁ ମଧ୍ୟ ହତ୍ୟା କରିବାକୁ କମ୍ୟୁନିଜମ ଠିକ ବୋଲି ସ୍ୱୀକାର କରେ । ବୋଧ ହୁଏ ଏଇଥି ପାଇଁ କମ୍ୟୁନିଷ୍ଟ ମାନେ ବର୍ତମାନ ଯାଏ ବିଶ୍ୱରେ କୋଟି କୋଟି ଲୋକଙ୍କୁ ହତ୍ୟା କରି ସାରିଛନ୍ତି । ତିଆନମେନର ଘଟଣାକୁ ଅଳ୍ପ ପ୍ରସିଦ୍ଧି ମିଳିଲା ହେଲେ କମ୍ୟୁନିଷ୍ଟ ଶାସିତ ଦେଶ ମାନଙ୍କରେ ଏପରି ଶହ ଶହ ଘଟଣା ଘଟିଛି ଯାହା ଇତିହାସର ଗର୍ଭରେ ରହିଛି ।

କମ୍ୟୁନିଜମ ଶୋଷଣ ମୁକ୍ତ ସମାଜ ଗଠନ କରିବା କଥା କୁହେ ହେଲେ ସେ ପ୍ରଥମେ ସେହି ଲୋକଙ୍କୁ ପ୍ରଥମେ ଶୀକାର କରେ, ଯାହାଙ୍କ ପାଇଁ ସେ ଶୋଷଣମୁକ୍ତ ସମାଜ ତିଆରି କରିବା ପାଇଁ ଦାବି କରେ । ଏହା ହେଉଛି କମ୍ୟୁନିଜମର ଅନ୍ତର୍ବିରୋଧ ।

ଫ୍ରାନ୍ସର ପ୍ୟାରିସ ସ୍ଥିତ ପ୍ରସିଦ୍ଧ ରାଷ୍ଟ୍ରୀୟ ବୈଜ୍ଞାନିକ ଅନୁସନ୍ଧାନ ସଂସ୍ଥାନ ପକ୍ଷରୁ ବିଦ୍ୱାନ ମାନେ ୧୯୯୯ ମସିହାରେ ଦି ବ୍ଲାକ ବୁକ ଅଫ କମ୍ୟୁନିଜମ : କ୍ରାଇମ, ଟେରର, ରିପ୍ରେସନ ନାମକ ଏକ ପୁସ୍ତକ ପ୍ରକାଶିତ ହୋଇଛି । ଏହି ପୁସ୍ତକରେ କମ୍ୟୁନିଷ୍ଟ ମାନେ କିପରି ସେମାନଙ୍କର ବିଚାରଧାରା ନାମରେ ସମଗ୍ର ବିଶ୍ୱରେ କୋଟି କୋଟି ଲୋକଙ୍କୁ ହତ୍ୟା କରିଛନ୍ତି ତାର ବିବରଣୀ ପ୍ରଦାନ କରିଛନ୍ତି । ଏହି ପୁସ୍ତକରେ ଦିଆ ଯାଇଥିବା ତଥ୍ୟ ଅନୁସାରେ ବିଶ୍ୱରେ କମ୍ୟୁନିଷ୍ଟ ମାନେ ଅନ୍ୟୁନ ୧୦ କୋଟି ଲୋକରୁ ଅଧିକ ଲୋକଙ୍କୁ ବର୍ବରତାର ସହ ହତ୍ୟା କରିଛନ୍ତି । କମ୍ୟୁନିଷ୍ଟ ମାନେ ଏହି ସବୁ ହତ୍ୟା ଶୋଷଣ ମୁକ୍ତ ସମାଜ ଗଠନ କରିବା ନାମରେ କରିଛନ୍ତି ।

ମଣିଷର ମୂଳ ପ୍ରବୃତିରେ ମାନବିକତା, ଦୟା, କରୁଣା ଆଦି ସାମିଲ ରହିଥାଏ । ମଣିଷ ଧୀରେ ଧୀରେ ଏହି ପ୍ରବୃତିକୁ ବିକସିତ କରି ପାରେ । ଆଧ୍ୟାତ୍ମ ମଣିଷ ମାନଙ୍କ ମଧ୍ୟରେ ଏହି ମାନବୀୟ ପ୍ରକୃତିକୁ ବଢାଇବାର କାମ କରିଥାଏ । ହେଲେ କମ୍ୟୁନିଜମ ମଣିଷର ଏହି ମୂଳ ପ୍ରବୃତିକୁ ସମାପ୍ତ କରି ରାକ୍ଷସୀ ପ୍ରବୃତିକୁ ବିକଶିତ କରାଇ ଥାଏ, ଯାହା ଦ୍ୱାରା ବିଚାରଧାରା ନାମରେ ତାଙ୍କ ସହ ଅସହମତି ରଖୁଥିବା ନୀରିହ- ନିରପରାଧ ଲୋକ ମାନଙ୍କୁ ହତ୍ୟା କରିବାକୁ ଠିକ ବୋଲି ସାବ୍ୟସ୍ତ କରା ଯାଇଥାଏ । ଏହା ହେଉଛି କମ୍ୟୁନିଜମର ଏହି ଅମାନବୀୟ ଓ ରାକ୍ଷସୀ ରୂପ, ଯେଉଁଥିରେ ବିଚାରଧାରା ନାମରେ ଅସହମତି ରଖୁଥିବା ଲୋକଙ୍କ ହତ୍ୟା କରିବାର ପରମ୍ପରା ଲଗାତାର ଜାରୀ ରହିଛି । ତିଆନମେନ ଚୌକର ନରସଂହାର ତ ଏହାର ଏକ ଉଦାହରଣ ମାତ୍ର । 

Comments